Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସ୍କୁଲ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ଦେଖନ୍ତୁ ପିଲାଙ୍କୁ କଣ କହିଲେ

ଭୁବନେଶ୍ୱର: ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, ସ୍କୁଲ ଖୋଲିବା ଖୁସିରେ ପିଲାମାନେ ଖୁସି, ପିଲାମାନଙ୍କ ଖୁସିରେ ସେ ନିଜେ ବି ବହୁତ ଖୁସି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ। ପ୍ରାୟ ଦୁଇ ବର୍ଷ ପରେ ଆଜି ସ୍କୁଲ ଘଣ୍ଟା ବାଜିଲା । ପିଲାମାନେ ଆଜି ସ୍କୁଲ ଗଲେ । ମହାପ୍ରଭୁଙ୍କ ଆଶୀର୍ବାଦ, ଆପଣମାନଙ୍କ ସହଯୋଗ ଓ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଯୋଗୁ ଏହା ସମ୍ଭବ ହୋଇପାରିଛି । ଗତ ଦୁଇ ବର୍ଷ ହେଲା କରୋନା ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା । ସ୍କୁଲ ଖୋଲିବା ହେଉଛି, ସ୍ବଭାବିକ ଅବସ୍ଥା ଫେରିବାର ଶୁଭ ସୂଚନା ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ପିଲାମାନେ, ଦୁଇ ବର୍ଷ ହେଲା ତୁମେମାନେ ଘର ଭିତରେ ରହିଥିଲ। ସାଙ୍ଗସାଥି ଖେଳକୁଦ ସବୁ ବନ୍ଦ ଥିଲା । ମୁଁ ଜାଣେ ଆଜି ସ୍କୁଲ ଖୋଲିବା ନିଷ୍ପତ୍ତି ତୁମ ମାନଙ୍କୁ ବହୁତ ଖୁସି ଦେଇଛି । ତୁମ ମାନଙ୍କ ଖୁସିରେ ମୁଁ ବି ବହୁତ ଖୁସି । ପାଠପଢା ସହିତ ସାଙ୍ଗସାଥି, ନାଚଗୀତ, ଖେଳକୁଦ, ଖୁସି ମଜା ସବୁ କିଛି ଆଗଭଳି ଚାଲିବ । ଆମେ ପୁଣି ଆଗକୁ ବଢିବା ବୋଲି ସେ ପିଲାମାନଙ୍କୁ ଭରସା ଦେଇଛନ୍ତି ।

ସମସ୍ତଙ୍କ ସହଯୋଗରେ ଆମେ କରୋନାର ମୁକାବିଲା କରିପାରିଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତି ଶହେ ବର୍ଷରେ ଥରେ ଏହିଭଳି ମହାମାରୀ ଆସେ । ଏଥିରେ ଆମର ଯୁବପୀଢି ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି ।

ପିଲାମାନଙ୍କୁ ଭୟ ନ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମେ ସମସ୍ତେ ତୁମ ସାଥିରେ ଅଛୁ । କିନ୍ତୁ ତୁମକୁ ସତର୍କ ରହିବାକୁ ହେବ । ତୁମ ମାନଙ୍କୁ ମୋର ଅନୁରୋଧ, ତୁମେମାନେ କୋଭିଡ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବ । ସ୍କୁଲ ସମୟରେ ଓ ବାହାରେ ମାସ୍କ ଠିକ୍‌ ଭାବରେ ପିନ୍ଧିବ । ବାରମ୍ବାର ସାବୁନରେ ହାତ ଧୋଇବ। କୋଭିଡ ନିୟମ ପାଳନରେ କେବେ ବି ହେଳା କରିବ ନାହିଁ। ପାଠପଢାରେ ଯାହା କିଛି କ୍ଷତି ହୋଇଛି, ତାକୁ ପୂରଣ କରିବା ପାଇଁ ଆମେ ଦିନରାତି ପରିଶ୍ରମ କରିବା । ପିଲାମାନଙ୍କର କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି ।

ଏହି ଅବସରରେ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଆମ ସଂସ୍କୃତିରେ ଗୁରୁଙ୍କୁ ଆମେ ଭଗବାନ ଭାବରେ ସମ୍ମାନ କରୁ। ଗୁରୁଙ୍କ ଆଶୀର୍ବାଦ, ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ। ଆପଣମାନେ ଜାଣନ୍ତି, କୋଭିଡ ଯୋଗୁ ସବୁଠାରୁ ଅଧିକ କ୍ଷତି ହୋଇଛି ପିଲାମାନଙ୍କର ଓ ସେମାନଙ୍କ ପାଠପଢାର। ତେଣୁ ଆମେ ସମସ୍ତେ ମିଶି ସେ କ୍ଷତି ଭରଣା କରିବା । ମୋର ପୁରା ଭରସା, ଆପଣମାନଙ୍କ ଉପରେ ରହିଛି । କୋଭିଡ ଯୋଗୁ ପାଠପଢାରେ ଯେଉଁ କ୍ଷତି ହୋଇଛି, ତାକୁ ଆପଣମାନେ ହିଁ ପୂରଣ କରିପାରିବେ । ଆପଣମାନେ ସବୁବେଳେ କୋଭିଡ ନିୟମ ପାଳନ ପାଇଁ ମଧ୍ୟ ବିଶେଷ ଦୃଷ୍ଟି ଦିଅନ୍ତୁ ।’ ଶିକ୍ଷକ ମାନଙ୍କ ଦାୟିତ୍ବରେ ଏବେ ପିଲାମାନେ ରହିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପିଲାଙ୍କ ବିନା ସ୍କୁଲ ପ୍ରାଣହୀନ । ପିଲାଙ୍କ ବିନା ସ୍କୁଲର ଅର୍ଥ କିଛି ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବହୁ ଦିନ ପରେ ସ୍କୁଲ ଆଜି ପୁଣି ଚଳଚଞ୍ଚଳ ହୋଇଛି । ପିଲାଙ୍କ କୋଳାହଳରେ ସ୍କୁଲ ଆଜି ନୂଆ ଜୀବନ ପାଇଛି । ସ୍କୁଲ ପରିଚାଳନା ବୋର୍ଡକୁ ପିଲାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ପିତାମାତା ଓ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ଛାଡନ୍ତୁ ଏବଂ ଭଲ ଭାବରେ ମାସ୍କ ପିନ୍ଧାଇ ଛାଡନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। କୋଭିଡ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି । ପିଲାଙ୍କ ଖୁସିରେ ପରିବାରର ଖୁସି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାନବ ଜାତି ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି। କିନ୍ତୁ ସବୁବେଳେ ସଫଳତାର ସହିତ ମୁକାବିଲା କରି ଆଗକୁ ବଢିଛି ବୋଲି ପ୍ରକାଶ କରି ସେ ପିଲାମାନଙ୍କର ମନୋବଳ ବୃଦ୍ଧି କରିଛନ୍ତି ।

ତୁମମାନଙ୍କ ପୀଢି ମାନବ ଇତିହାସର ସବୁଠାରୁ କଠିନ ପରିସ୍ଥିତିକୁ ସାମ୍‌ନା କରିଛି ଏବଂ ଭବିଷ୍ୟତ ଆହ୍ବାନର ମୁକାବିଲା ପାଇଁ ଏ ଅଭିଜ୍ଞତା ତୁମକୁ ସାହସ ଓ ଶକ୍ତି ଦେବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ସେ ପିଲାମାନଙ୍କ ଉପରେ ଦୃଢ ଆସ୍ଥା ପ୍ରକାଶ କରି କହିଛନ୍ତି ଯେ ‘ମୋର ପୁରା ବିଶ୍ବାସ, ତୁମେମାନେ, ତୁମମାନଙ୍କ ସଫଳତା ଦ୍ବାରା, ମାନବ ସମାଜକୁ ଆହୁରି ଉଜ୍ଜଳ ଭବିଷ୍ୟତ ଆଡକୁ ଆଗେଇ ନେବ।’

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like