ଭୁବନେଶ୍ୱର: ଛତ୍ର ବଜାର ବ୍ରିଜ ଭୁଶୁଡ଼ିବା ଘଟଣାର ଆରଡିସିସ୍ତରୀୟ ତଦନ୍ତ ହେବ । ଏ ନେଇ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବ୍ରିଜ୍ ଭୁଶୁଡ଼ିବା ଯୋଗୁଁ ପ୍ରାଣ ହରାଇଥିବା ୨ଜଣ ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ତାଙ୍କର ନିକଟ ସମ୍ପର୍କୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ବ୍ରିଜ୍ ଦୁର୍ଘଟଣାରେ ଆହତମାନଙ୍କୁ ଉତ୍ତମ ମାନର ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ସନ୍ଧ୍ୟାରେ ଛତ୍ରବଜାର ନିକଟସ୍ଥ ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ତା’ ତଳେ ଥିବା ୩ଜଣ ମାଟି ତଳେ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ତାଳଦଣ୍ଡା କେନାଲର ପୁନରୁଦ୍ଧାର କାର୍ଯ୍ୟ ଦୀର୍ଘଦିନ ଧରି ଚାଲିଥିବାବେଳେ ଏହି ପୁରୁଣା ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନି ।


























